ପୂର୍ବତନ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

୨୦ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଏକ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ପୂର୍ବତନ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ କୁମାର ପଟ୍ଟନାୟକ ଆସି ଜିଲ୍ଲାରେ ଦଳର ସ୍ଥିତି ଅନୁଧ୍ୟାନ କରିବା ସହ କିଭଳି ଆଗାମୀ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନ ସୁଦୃଢ ହେବ ସେ ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡି ରେ ପହଞ୍ଚି ବଜାର ଛକରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ।କଂଗ୍ରେସର ନେତୃବୃନ୍ଦ ଓ କର୍ମୀଙ୍କୁ କଂଗ୍ରେସର ସ୍ଥିତି ସୁଦୃଢ କରିବା ସହ ଆଗାମୀ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ଦାଦନ ସମସ୍ୟା ଜଳ ସେଚନ ସମସ୍ୟା, ଚାଷୀଙ୍କ ସମସ୍ୟା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲାରେ ବିଭିନ୍ନ ସାଗର ଗୁଡିକ ରାମ ସାଗର, ସୀତା ସାଗର, କୃଷ୍ଣ ସାଗର ପୁନରୁଦ୍ଧାର କଲେ ଜଳ ସେଚନର ସୁବ୍ୟବସ୍ଥା ହେବା ସଙ୍ଗେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇ ପାରିବ ଉଦ୍ୟାନ ଭିତ୍ତିକ କୃଷି ଉପରେ ଗୁରୁତ୍ୱ ଦେଲେ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, କଂଗ୍ରେସ ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା ଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Exit mobile version