ଗଣ୍ଡଗୋଳ ଅଭିଯୋଗରେ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ

୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :-  ଗଣ୍ଡଗୋଳ ଅଭିଯୋଗରେ ଆଜି ପାଞ୍ଚ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଅଜୟ ବେହେରା, ସନ୍ତୋଷ ବେହେରା,ବାପି ବେହେରା,ଶେଷ ବେହେରା ଓ ଚନ୍ଦନ ବେହେରା l ସୂଚନା ଅନୁଯାଇ କିଛି ଦିନ ହେଲା ଚିଲିକା ଜେଟି ନିକଟରେ କିଛି ଅସାମାଜିକ ବ୍ୟକ୍ତିମାନେ ବେଆଇନ ନିଶା ସାମଗ୍ରୀ ଯଥା ମଦ, ଗଞ୍ଜେଇ ଆଦି ବିକ୍ରି କରିବା ସହ ବେଆଇନ ବିକ୍ରି ସ୍ଥାନ କବଜା ପାଇଁ ନିଜ ନିଜ ମଧ୍ୟରେ ଝଗଡା କରିଆସୁଥିଲେ ।

ଏପରିକି ଚିଲିକା ଜେଟି ଏବଂ ଏହାର ଆଖପାଖ ବୁଦା ଓ ଜଙ୍ଗଲ ଅଞ୍ଚଳରେ ଏହି ଅସାମାଜିକ ବ୍ୟକ୍ତି ମାନେ ଲୁଚେଇ ନିଶା ସାମଗ୍ରୀ ବିକ୍ରି କରୁଥିଲେ । ଏହା ଫଳରେ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ନାଗରିକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ତେବେ ବାଲୁଗାଁ ପୋଲିସ ଏହା ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ରବିବାର ରାତିରେ ନିଶା ଦ୍ରବ୍ୟ ବିକ୍ରି ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା ।

ଫଳରେ ପୋଲିସ ଉଭୟ ଗୋଷ୍ଠୀଙ୍କ ବିରୁଦ୍ଧରେ କେସ ନମ୍ବର ୯୪/୨୩ ଏବଂ ୯୫/୨୩ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ତେବେ ଆଜି ଉଭୟ ଗୋଷ୍ଠୀର ପାଞ୍ଚ ଜଣ ଅଭିଯୁକ୍ତ ଗିରଫ କରିବା ସହ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ପୋଲିସ ଅନ୍ୟ ଅଭିଯୁକ୍ତ ମାନଙ୍କ ସୂଚନା ପାଇଛି ଏବଂ ଖୁବଶୀଘ୍ର ସେମାନେ ଗିରଫ ହେବେ ବୋଲି କହିଛନ୍ତି ଆଇଆଇସି ରଶ୍ମି ରଞ୍ଜନ ଦାସ ।

 

Exit mobile version