ମୁଖ୍ୟ ଶାସନ ସଚିବ ଓ ‘‘୫-ଟି’’ ସଚିବଙ୍କ ବାଗ୍‌ଚୀ – ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ର ପରିଦର୍ଶନ

ଡାକ୍ତରଖାନା ଗୃହ ପ୍ରତିଷ୍ଠା ପୂଜାରେ ଯୋଗଦାନ ଡାକ୍ତରଖାନା ବିକାଶରେ ଆନୁଷଙ୍ଗିକ ସହଯୋଗ ରହିବ-ମୁଖ୍ୟ ଶାସନ ସଚିବ ଆଗାମୀ ଶ୍ରୀଗୁଣ୍ଡିଚାରୁ ରୋଗୀ ସେବା ଆରମ୍ଭ-ସୁବ୍ରତୋ ବାଗ୍‌ଚୀ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, “୫-ଟି” ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍‌ଚୀ-ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍‌ପିଟାଲ୍‌ ଓ ଗବେଷଣା କେନ୍ଦ୍ର  ପରିଦର୍ଶନ କରିଥିଲେ । ଆଜି ଏହି ଡାକ୍ତରଖାନାର  ଗୃହ ପ୍ରତିଷ୍ଠା ପୂଜା ଅବସରରେ ମୁଖ୍ୟ ଶାସନ ସଚିବ ଓ  “୫-ଟି” ସଚିବ  ଏଠାରେ ଯୋଗଦେଇଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍‌ପିଟାଲର ପ୍ରମୁଖ ଟ୍ରଷ୍ଟି ଶ୍ରୀ ସୁବ୍ରତୋ ବାଗ୍‌ଚୀ ଏବଂ ହସ୍‌ପିଟାଲ୍‌ର ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍‌ପିଟାଲ୍‌ର ନିର୍ମାଣ ଓ ପ୍ରସ୍ତୁତି ସଂପର୍କରେ ବହୁ ସମୟ ଧରି ଆଲୋଚନା କରିବା ସହ ଡାକ୍ତରଖାନାର ସମସ୍ତ ବିଭାଗ ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ  ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍‌ଚୀଙ୍କ ସହ ଧର୍ମିଣୀ ତଥା ମୋ ସ୍କୁଲ୍‌ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ  ଉପସ୍ଥିତ ଥିଲେ ।

ଡାକ୍ତରଖାନା ତରଫରୁ ଡଃ ସାଇନାଥ ଏହାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମାତ୍ର ଏକ ବର୍ଷ ତିନି ମାସ ମଧ୍ୟରେ ଏହି ଡାକ୍ତରଖାନାର ନିର୍ମାଣକାର୍ଯ୍ୟ ଶେଷ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାନ୍‌ସର ହସ୍‌ପିଟାଲ ସ୍ଥାପନ ଲାଗି ଆମକୁ ଉତ୍ସାହିତ କରିବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପ୍ରଥମେ ଦୁରତା ଓ ଆନୁଷଙ୍ଗିକ ଆବଶ୍ୟକତା ଦୃଷ୍ଟିରୁ ଯଦିଓ ଆମେ ଏଠାରେ ଡାକ୍ତରଖାନା ସ୍ଥାପନ ପାଇଁ କୁଣ୍ଠିତ ଥିଲୁ, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାରେ ଏକ ଅତ୍ୟାଧୂନିକ କ୍ୟାନ୍‌ସର ହସ୍ପିଟାଲ୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ପ୍ରତିବଦ୍ଧତା ଏଦିଗରେ ଆମକୁ ଉତ୍ସାହିତ କରିଥିଲା । ୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ତଳ ଫ୍ଲୋର ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି । ପ୍ରତି ଫ୍ଲୋର ୧୫ ହଜାର ବର୍ଗ ଫୁଟ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ  ତଥା ସେମାନଙ୍କ ଆଟେଣ୍ଡାଣ୍ଟ ଆଦିଙ୍କ ଯାତାୟତ ପାଇଁ ଯଥେଷ୍ଟ ସ୍ଥାନ ରହିଛି । 

ଓଡ଼ିଶା ରାଜ୍ୟ ସରକାର, ଆର୍କିଟେକ୍ଟ ଓ ସବୁ ମହଲରୁ ସହଯୋଗ ଯୋଗୁଁ ଡାକ୍ତରଖାନା କାର୍ଯ୍ୟ ସଫଳତାର ସହ ଆରମ୍ଭ ହେବାକୁ ଯାଉଛି । ଏଠାରେ କର୍କଟ ରୋଗ ଚିକିତ୍ସା ସଂପର୍କିତ ମେଡକାଲ ଅଂକୋଲୋଜି, ରେଡିଏସନ ଅଂକୋଲୋଜି, ସର୍ଜିକାଲ ଅଂକୋଲୋଜି ଆଦି ବିଭିନ୍ନ ବିଭାଗ ପ୍ରସ୍ତୁତ କରାଯାଉଛି । ଏହି ଡାକ୍ତରଖାନା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଚିକିତ୍ସା ପାଇବେ ବୋଲି ଡକ୍ଟର ସାଇନାଥ ପ୍ରକାଶ କରିଥିଲେ । ପୂର୍ବପ୍ରସ୍ତୁତି ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ ।  ଏହି ହସ୍‌ପିଟାଲ୍‌ରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି । ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି  ।

ଏଥିରେ ଯୋଗଦେଇ ହସ୍‌ପିଟାଲ୍‌ର ମୁଖ୍ୟ ଆର୍କିଟେକ୍‌ଟ୍‌ ଶ୍ରୀ ସୁନ୍ଦର ରମଣ ଡାକ୍ତରଖାନା ନିର୍ମାଣ ସମ୍ପର୍କରେ ଅବଗତ କରାଇବା ସହ ରାଜ୍ୟ ସରକାର ଏବଂ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ହସ୍‌ପିଟାଲ୍‌ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର କାର୍ଯ୍ୟକାରିତା ନେଇ ଯାହା ସହାୟତା ଆବଶ୍ୟକ ରହିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

           

Exit mobile version