ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ : ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ – ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦,କୋଟି ଟଙ୍କା ମଞ୍ଜୁର

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ )  ଭୁବନେଶ୍ୱର :- ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।

ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍‌ସଟେନସନ୍‌ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍‌ସଟେନସନ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ।

Exit mobile version