ବିନା ଲାଇଫ୍ ଜ୍ୟାକେଟରେ ଡଙ୍ଗାରେ ଯାତାୟତ ମନା
ସୁରକ୍ଷା ଜ୍ୟାକେଟ୍ ପିନ୍ଧି ନିଜ ଯାତ୍ରାକୁ ସୁରକ୍ଷିତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ୱ
୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡ଼ାକଡ଼ି ଅନୁପାଳନ କରିବା ସହ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ଏ ସଂପର୍କିରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବିଭିନ୍ନ ସମୟରେ ଘଟିଥିବା ଡଙ୍ଗାବୁଡି ଜନିତ ଦୁର୍ଘଟଣା ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ, ୨୦୦୪ ମସିହାରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶା ଡଙ୍ଗା ନିୟମ-୨୦୦୪ ଲାଗୁ କରାଯାଇଥିଲେ ମଧ୍ୟ ଏହାର ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି ।
ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ଏହି ନିୟମର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଥିବା ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଆଦି ଗୁଡିକରେ ପର୍ଯ୍ୟଟନ ପାଇଁ ହେଉ ବା ଯାତାୟତ ପାଇଁ ହେଉ, ଯାତ୍ରୀମାନଙ୍କୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ସହ ଡଙ୍ଗା ଚାଳକମାନଙ୍କୁ ଡଙ୍ଗାରେ ଲାଇଫ୍-ବୋଏ (ପାଣିରେ ଭାସମାନ ରହୁଥିବା ଜୀବନ ସୁରକ୍ଷାକାରୀ ବଳୟ) ନେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀବାହୀ ଡଙ୍ଗା ଓ ଦ୍ରବ୍ୟ ପରିବହନ କରୁଥିବା ଡଙ୍ଗା ଗୁଡିକର ପଂଜୀକରଣ, ଡଙ୍ଗା ଓ ଲଞ୍ଚ ଚାଳକମାନଙ୍କୁ ‘ଲାଇଫ୍ ବୋଏ’ ବଣ୍ଟନ ସହ ବିଭିନ୍ନ ସୁରକ୍ଷା ପାଇଁ ନିୟମ ପ୍ରଣୟନ କରାଯାଇଛି । ଏ ସଂପର୍କରେ ଡଙ୍ଗାବୁଡି ଦୁର୍ଘଟଣା ଏବଂ ଜୀବନହାନୀ ନଘଟିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି ।
ପଂଚାୟତିରାଜ ବିଭାଗ ତରଫରୁ ଘାଟ ନିଲାମି ସମୟରେ ଡଙ୍ଗା ଚାଳକମାନଙ୍କୁ ନିୟମର ଅନୁପାଳନ ସଂପର୍କରେ ଅବଗତ କରାଇବା ଏବଂ ଏ ସଂପର୍କରେ ନିୟମିତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିନା ଲାଇଫ୍ ଜ୍ୟାକେଟ୍ରେ ଯାତ୍ରା ନକରିବାକୁ ଡଙ୍ଗା ବା ଲଞ୍ଚ ଚାଳକମାନେ ଯାତ୍ରୀମାନଙ୍କୁ ଅନୁରୋଧ କରନ୍ତୁ । ସେହିଭଳି ସୁରକ୍ଷା ଜ୍ୟାକେଟ୍ ପିନ୍ଧି ଯାତାୟତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ୱ ରହିଛି ବୋଲି ମୁଖ୍ୟ ଶାସନ ସଚିବ ଆଇନର ଅନୁପାଳନ ସହ ନିଜ ଜୀବନ ସୁରକ୍ଷିତ ରଖିବାକୁ କହିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗକୁ ଡଙ୍ଗା ଲାଇସେନ୍ସ୍ ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ବିଭିନ୍ନ ପ୍ରମୁଖ ଜଳ ଭଣ୍ଡାରରେ ଯାତାୟତ କରୁଥିବା ଡଙ୍ଗା ସଂପର୍କରେ ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ଅଗ୍ନିଶମ ସେବା ଅଧିକାରୀମାନେ ନିୟମିତ ଭାବେ ଡଙ୍ଗାର ସ୍ଥିତି ଅନୁଧ୍ୟାନ କରିବା, ଡଙ୍ଗାରେ ଯଥେଷ୍ଟ ସଂଖ୍ୟକ ଜୀବନ ସୁରକ୍ଷାକାରୀ ଲାଇଫ୍ ଜ୍ୟାକେଟ୍ ରଖାଯିବା, ଅନଧିକୃତ ଭାବେ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ନେଉଥିବା ମାଛ ଧରା ଡଙ୍ଗା ବା ଅନ୍ୟ ଡଙ୍ଗାକୁ ଜବତ କରାଯିବା ନିମନ୍ତେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଥିଲେ ଯେ, ଯାତ୍ରୀ ପରିବହନ କରୁଥିବା ଡଙ୍ଗା ମାଲିକ, ଲଞ୍ଚ ଅପରେଟରଙ୍କ କ୍ଷେତ୍ରରେ ସହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ୭୦୦୦ ସଂଖ୍ୟକ ଲାଇଫ୍-ବୋଏ, ୩୫୦୦୦ ସଂଖ୍ୟକ ଲାଇଫ୍ ଜ୍ୟାକେଟ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବସ୍ଥା କରାଯାଇଛି ।
