ଶ୍ରେଣୀ ଗୃହର ଅଭାବ ଯୋଗୁଁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଭଗବାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ସର୍ବପୁରାତନ ଶିକ୍ଷା କେନ୍ଦ୍ର ଅଟେ । ନିକଟ ଅତୀତରେ ଏହି ବିଦ୍ୟାଳୟ ତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିସାରିଛି । ତେବେ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଶ୍ରେଣୀ କୋଠରୀ ନ ଥିବା ଯୋଗୁଁ ଏଠାରେ ଶିକ୍ଷାଦାନ ପ୍ରକ୍ରିୟା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି । ଶ୍ରେଣୀ ଗୃହର ଆବଶ୍ୟକତାକୁ ଅନୁଭବ କରି ବାରମ୍ବାର ଶିକ୍ଷା ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭୋଇ ମତବ୍ୟକ୍ତ କରିଛନ୍ତି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରନ୍ତି ।ତେବେ ୧୫୩ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ସକାଶେ ମୋଟ ତିନି ଗୋଟି ଶ୍ରେଣୀ ଗୃହ ଥିବା ଯୋଗୁଁ ଏଠାରେ ଶିକ୍ଷାଦାନ ପ୍ରକ୍ରିୟା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସହଜେ ଅନୁମେୟ ହୁଏ । ଗତ ଫେବୃଆରୀ ମାସ ୧୫ ତାରିଖ ଦିନ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦାନ କରି ଯଥା ସମ୍ଭବ ସହାୟତା ଯୋଗାଇ ଦେବା ସହ ଜନସାଧାରଣଙ୍କ ଉପସ୍ଥିତରେ ବ୍ଳକ ପ୍ରଶାସନ ଉପରେ ଏହାର ସ୍ଵତନ୍ତ୍ର ନଜର ରହିବ ଏଥିପାଇଁ ସଭାରେ ନର୍ଲା ବ୍ଲକ ଉପାଧ୍ୟକ୍ଷଙ୍କୁ ଏହାର ଉତ୍ତର ଦାୟିତ୍ଵ ଥୋଇଦେଇ ଥିଲେ । ତେବେ ବର୍ତ୍ତମାନ ଶିକ୍ଷା ବିଭାଗ ଓ ବ୍ଳକ ପ୍ରଶାସନ କେବେ ଶ୍ରେଣୀ ଗୃହର ଆବଶ୍ୟକତାକୁ ପୂରଣ କରିପାରିବେ ତାହା ଦେଖିବାକୁ ବାକି ରହିଲା ବୋଲି ଜନସାଧାରଣରେ ମତପୋଷଣ ହେଉଛି ।

Exit mobile version