ଆକ୍ସିସ ବ୍ୟାଙ୍କ ନିକଟରୁ ଟଙ୍କା ଲୁଟ୍‌ ଘଟଣା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ – ୬ ଜଣ ଗିରଫ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କେସିଙ୍ଗା ନିକଟରୁ ଧରିଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ଗଞ୍ଜାମ ଜିଲା ଆସିକା ଥାନା ପକଲାପାଲି ଅଞ୍ଚଳର ଏ.କିଶୋର, ଏ.ଶ୍ରୀକାନ୍ତ, ଆଇବି କ୍ୟାମ୍ପ୍‌ ଅଞ୍ଚଳର ଏ.ହରି, ଆଙ୍କଟେସ, କିଶୋରଙ୍କ ମା’ ଏମ୍‌.ଲିଲି, ହରିଙ୍କ ବାପା ଏମ୍‌.ପାଣ୍ଡୁ, ଆସିକା ଅଞ୍ଚଳର ସରସ୍ବତୀ,ସରଶା ଦାସ, କାର୍‌ ଡ୍ରାଇଭର ଲିଟୁ ଗୌଡ଼ ବୋଲି ବୁଧବାର ଫୁଲବାଣୀ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟେରାମାନେ ଲୁଟ୍‌ କରିବା ପରେ ଫେରାର ହୋଇ ଯାଇଥିଲେ । ଟାଉନ ଥାନା ପୋଲିସ ସହରର ବିଭିନ୍ନ ସିସିଟିଭ ଫୁଟେଜ୍‌କୁ ଆଧାର କରି ଆରମ୍ଭ କରିଥିଲା । ଜଣେ ଏଏସ୍‌ଆଇ ଲୁଟେରାଙ୍କୁ ଚିହ୍ନିବାରୁ ସେମାନଙ୍କୁ ଧରିବା ପାଇଁ ସହରର ଚାରିଆଡ଼େ ନାକାବନ୍ଦୀ କରାଯାଇଥିଲା । ଲୁଟେରାମାନେ ଗୋଚ୍ଛାପଡ଼ା ଆଡ଼େ ଯାଇଥିବାରୁ ସେଠାର ପୋଲିସକୁ ଖବର ଦିଆ ଯାଇଥିଲା । ପୋଲିସ ଚେକିଂ କରୁଥିବା ଦେଖି ଲୁଟେରାମାନେ ଗାଡ଼ି ବୁଲାଇ ଖଜୁରୀଗାଁ ରାସ୍ତା ଦେଇ ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ବାଟ ନ ପାଇ ସେଠାରେ ବାଇକ୍‌ ଫିଙ୍ଗି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ ।ପୋଲିସ ସେମାନଙ୍କୁ ଚାରିଆଡୁ ଘେରି ରହିଥିଲା । ମାତ୍ର ସେମାନେ ବାହାରି ନ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଆସିକା ଅଞ୍ଚଳରୁ ଏକ କାରରେ ସେମାନେ ଖସି ଯାଇଥିଲେ । ପୋଲିସ ଏହି ଖବର ପାଇବା ପରେ ସେମାନଙ୍କୁ ପିଛା କରିଥିଲା । ଗାଡ଼ିଟି କଳାହାଣ୍ଡି ଜିଲା କେସିଙ୍ଗା ଆଡ଼କୁ ଯାଉଥିବା ଦେଖି କେସିଙ୍ଗା ପୋଲିସକୁ ଖବର ଦିଆ ଯାଇଥିଲା। ରାତି ୧୦ଟାରେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗ୍‌କୁ ଧରିଥିଲା । ସେମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ସମସ୍ତ ଟଙ୍କା, ୭ଟି ଫୋନ୍‌, ଡିକି ଭାଙ୍ଗିବାକୁ ଚାବି, କାର୍‌, ବାଇକ ଜବତ୍‌ କରାଯାଇଛି । ଏମାନଙ୍କ ନାମରେ ସମ୍ବଲପୁର, ପୁରୀ, ନୟାଗଡ଼, ଭଦ୍ରକ, ବିହାର ଆଦି ଅଞ୍ଚଳରେ ମାମଲା ରହିଛି ।

ଘଟଣାର ଆହୁରି ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି । ଏନେଇ ଫୁଲବାଣୀ ଟାଉନ ଥାନାରେ ୮୯/୨୩ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଅବ୍ୟାହତ ରହିଛି  l ଏହି ଖବର ଦାତା ସମ୍ମିଳନୀ ରେ ଫୁଲବାଣୀ ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ଥାନାଧିକାରୀ ଅଶୋକ କୁମାର ଗିରି, ଗୋଚ୍ଛପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

Exit mobile version