ବିକାଶ ଅପେକ୍ଷାରେ ମାନ୍ଦ୍ରାବାଜୁ ଗାଁ ?

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମାଓ ସମସ୍ୟା ସୁଧାରିବା ପାଇଁ ନାନା ଯୋଜନା ଆପଣାଉଛନ୍ତି ସରକାର । କିନ୍ତୁ ତାହା ଲୋକଙ୍କ ପାଖରେ ଅପହଞ୍ଚ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଆଜି ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲେକେ । କେବଳ ରାସ୍ତା ନିର୍ମାଣକୁ ବାଦ ଦେଲେ ଅନ୍ୟ କୌଣସି ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚି ନାହିଁ ।ଗଜପତି ଜିଲ୍ଲା ମୋହନା ବ୍ଳକ ରାଇପଙ୍କା ପଞ୍ଚାୟତର ମାନ୍ଦ୍ରାବାଜୁ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ । ତେବେ ଏହି ଗାଁକୁ ସରକାର ମାଓବାଦୀଙ୍କ ଗଡ ବୋଲି ଧରି ନେଇଥିବାରୁ ବିକାଶରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାନ୍ଦ୍ରାବାଜୁ ଗ୍ରାମରେ ରୁହନ୍ତି ପ୍ରାୟ 80ଟି ପରିବାର । ତେବେ 500 ଲୋକଙ୍କ ମଧ୍ୟରୁ ମାତ୍ର ୧୨ ଜଣ ପରିବାରକୁ ମିଳିଛି ସରକାରୀ ସହାୟତା । ଅନ୍ୟ ଲୋକଙ୍କ ପାଇଁ ଏଠି ସରକାରୀ ଯୋଜନା ଯେମିତି ପାଲଟିଛି ସାତ ସପନ । ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । ସାମାନ୍ୟ ଦେହ ଖରାପ ହେଲେ ରାଇପଙ୍କା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ । ହେଲେ ସେଠାରେ ନିୟମିତ ଡାକ୍ତର ରହୁନଥିବାରୁ ଲୋକେ ବାଧ୍ୟ ହୋଇ 25 କିମି ଦୂର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିରର୍ଭରଶୀଳ ଗ୍ରାମବାସୀ । ସେହିଭଳି ଗାଁରେ ରାସ୍ତାଘାଟର ଉନ୍ନତି କିମ୍ବା ଅନ୍ୟ କୌଣସି ଉନ୍ନୟନମୂଳକ କାମ ହୋଇପାରିନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗଜପତି ଜିଲ୍ଲାରେ ପ୍ରାୟ ଦୁଇ ଦଶନ୍ଧି ଧରି ଲାଗି ରହିଥିବା ମାଓ ସମସ୍ୟାର ଉତ୍ପତି ଏହି ଗାଁରୁ ହୋଇଥିବା କୁହାଯାଏ ।କାରଣ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜମି ବିବାଦକୁ କେନ୍ଦ୍ର କରି 1999ମସିହା ଡିସେମ୍ବର ମାସ 30ତାରିଖରେ ପୋଲିସ କିଛି ଆଦିବାସୀ ନିହତ ହୋଇଥିଲେ । ସେହିଦିନ ଠାରୁ ଏହି ଗାଁ ମାଓବାଦୀଙ୍କ ଉତ୍ପତି ସ୍ଥଳ ଭାବେ ବିବେଚିତ ହୋଇଗଲା ।ମାଓବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଗଜପତି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ବି ସରକାରୀ ଯୋଜନା ଅପହଞ୍ଚ । ତେବେ ଗଜପତି ଡିଆରଡିଓ କହିଛନ୍ତି, ଏହି ଗ୍ରାମର ଲୋକଙ୍କୁ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ରାସ୍ତା, ଭତ୍ତା ଯୋଗାଇ ଦିଆଯାଉଛି । ଏବଂ ଅନ୍ୟ ଯୋଜନା ମଧ୍ୟ ଖୁବ ଶୀଘ୍ର ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ମାଓଗଡର ଉନ୍ନତି କରି ସରକାରୀ ବିରୋଧୀ ମନୋଭାବରୁ ଦୂରେଇ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅଧୁରା ରହିଛି ବିକାଶ । ଏହି ଗ୍ରାମ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

Exit mobile version