ରଣପୁରରେ ଅମର ଶହୀଦ ରଘୁ-ଦିବାକରଙ୍କର ଶହୀଦ୍ ଦିବସ ପାଳିତ

ରଘୁ- ଦିବାକର ଆସୋସିଏସନ ର ସଭାପତି ସୁରେଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଶହୀଦ୍ ଦିବସ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ରଣପୁର ମାଟିର ଅମର ଶହୀଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଙ୍କ ଉଦ୍ଦେଶ୍ୟରେ ଆଜିର ଦିନକୁ ୮୨ତମ ଶହୀଦ୍‌ ଦିବସ ରୂପେ ପାଳନ କରାଯାଇଛି । ଅପରାହ୍ନରେ ରଘୂ ଦିବାକର ଆସୋସିଏସନ ଠାରୁ ଶହୀଦ ରଘୁ- ଦିବାକର ଙ୍କ ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ବାହାରି ପଂଚୁଦୋଳ ପଡିଆ ଠାରେ ଥିବା ଶହୀଦ୍ ମଣ୍ଡପ ନିକଟରେ ପହଂଚିଥିଲା । ସେଠାରେ ଉଭୟ ଶହୀଦ୍ ଙ୍କ ପ୍ରତିମୂର୍ତି ରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରଘୁ- ଦିବାକର ଆସୋସିଏସନ ର ସଭାପତି ସୁରେଶ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଶହୀଦ୍ ଦିବସ ର ସଭାକାର୍ଯ୍ୟ ରେ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ,ଏନଏସି ଅଧ୍ୟକ୍ଷା ଶ୍ରୀମତି ମହାନ୍ତି, ଏଡିଏମ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସମାଜସେବୀ ମନୋଜ ଦାସ,ଏନ.ଏସି ନଗର ସଭାପତି ଲିଙ୍ଗରାଜ ନାୟକ, ବିଜୟ ମହାପାତ୍ର,ରାଜକିଶୋର ପଟ୍ଟନାୟକ ଓ ତ୍ରିନାଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରଣପୁର ମାଟିର ଅମର ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ । ପରିଶେଷ ରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରକାଶ ଥାଉକି ୧୯୩୯ ମସିହା ଜାନୁଆରୀ ୫ ତାରିଖରେ ରଣପୁର ଗଡଜାତ ଅଂଚଳରେ ପ୍ରଜା ମଣ୍ଡଳ ଆନ୍ଦୋଳନ କୁ ଦମନ କରିବା ପାଇଁ ବେଜେଲଗେଟ ଗୁଳିରେ ଯୁବ ସଂଗ୍ରାମୀ ଅର୍ଜ୍ଜୁନ୍ ରାଉତ ଟଳି ପଡିଥିଲେ । ଏହି ଘଟଣା କୁ ନେଇ ହଠାତ୍‌ ଆନ୍ଦୋଳନ ତେଜିଉଠିବା ସହ ପ୍ରଜା ମାନେ ଉତକ୍ଷିପ୍ତ ହୋଇ ବେଜେଲଗେଟକୁ ବାଉଁଶ ଠେଙ୍ଗା ରେ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣାରେ ରଘୁନାଥ ମହାନ୍ତି ଓ ଦିବାକର ପରିଡାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବାରୁ ସେମାନଙ୍କୁ କାରାବରଣ କରିବାକୁ ପଡିଥିଲା । ସେହିଦିନ ଠାରୁ ଉକ୍ତ ମାମଲା ବିଚାରଧୀନ ଥିବାବେଳେ ୧୯୪୧ ମସିହା ଏପ୍ରିଲ୍ ୪ ତାରିଖ ଦିନ ବିହାର ର ଭାଗଲପୁର ଜେଲ ରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା । ସେହିଦିନ ଠାରୁ ଏହି ଦିବସ ଟିକୁ ମନେ ରଖିବା ପାଇଁ ସମଗ୍ର ରାଜ୍ୟରେ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି ।

Exit mobile version