
୨ ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବିଶାଖାପାଟଣା :- ଭାଗ୍ୟର ନଗରୀ ବିଶାଖାପାଟଣାଠାରେ ମହାସମାରୋହରେ ୮୮ ତମ ଉତ୍କଳ ଦିବସ ପାଳନ କରାଯାଇଛି। ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଉତ୍କଳ ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ସହସ୍ରାଧିକ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖାଯାଇଥିଲା। ଏହି ଉପଲକ୍ଷେ ଉତ୍ସବସ୍ଥଳ ସୁରମ୍ୟ ଦଶପଲ୍ଲା ପାହାଡିସ୍ଥିତ ସାଂସ୍କୃତିକ ସମାଜର କାର୍ଯ୍ୟାଳୟ ପରିସରକୁ ରଙ୍ଗ, ବେରଙ୍ଗର କପଡ଼ା, ଫୁଲ ଓ ଆଲୋକମାଳାରେ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖର ହେବା ସାଙ୍ଗକୁ ଏକ କ୍ଷୁଦ୍ର ଓଡ଼ିଶାର ରୂପ ଧାରଣ କରିଥିଲା। ଉପସ୍ଥିତ ଯୁବ ସମ୍ପ୍ରଦାୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହିତ ଏଥିରେ ହଜି, ମଜ୍ଜି, ମସଗୁଲ୍ ହେଉଥିବା ଦେଖାଯାଇଥିଲା।

