ଭିନ୍ନକ୍ଷମ ହିତାଧିକାରୀଙ୍କୁ ମନ୍ତ୍ରୀ ବାଣ୍ଟିଲେ ଆଧୁନିକ ମୋଟର ଯାନ

ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୫୦ଟି ରେଟ୍ରୋ- ଫିଟେଡ୍‌ ମୋଟର ଯାନ ବଣ୍ଟନ କାର୍ଯ୍ୟକ୍ରମ ଆଜି ପୋଖରୀପୁଟସ୍ଥିତ ନ୍ୟାସନାଲ୍‌ କ୍ୟାରିୟର ସର୍ଭିସ୍‌ ସେଣ୍ଟର ଫର ଡିଫରେଣ୍ଟଲି ଏବୁଲଡ୍‌ (ଏନ୍‌ସିଏସ୍‌ସିଡିଏ) ପରିସରରେ ସକାଳେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଏହି ଅତ୍ୟାଧୁନିକ ମୋଟର ଯାନ ବଣ୍ଟନ କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହଜ ଓ ସରଳ ଯାତାୟତ ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ଉଦ୍ୟମ ଓ ରାଜ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଏପରି କାର୍ଯ୍ୟକ୍ରମ ଭିନ୍ନକ୍ଷମମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭାଗକୁ ପ୍ରଶଂସା କରିଥିଲେ । ହିରୋ ମୋଟର୍ସର ଓଡ଼ିଶା ମୁଖ୍ୟ ଶ୍ରୀ ହର୍ଷବର୍ଦ୍ଧନ ସମାଜ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଉଦ୍ୟୋଗଗୁଡ଼ିକ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରି ଭିନ୍ନକ୍ଷମମାନଙ୍କୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଏପରି ମୋଟର ଯାନ ବିତରଣ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମୋଟର ଯାନଗୁଡିକର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେବା ସହିତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିଶଦ ଭାବେ ଅବଗତ କରାଇଥିଲେ । ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version