
୨୨ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର କଳାକୃତିର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୧ ଗୋଟି ହସ୍ତଶିଳ୍ପକୁ ଆଧାର କରି ଏକ ଲକ୍ଷ ୫୦ ହଜାରରୁ ଊଦ୍ଧ୍ୱର୍ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ପୁରସ୍କାରପ୍ରାପ୍ତ ହେବାର ଗୌରବ ଅର୍ଜନ କରିଛି । ଅଦ୍ୟାବଧି ୧୮୮ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାରପ୍ରାପ୍ତ ହୋଇଛନ୍ତି ଏବଂ ତନ୍ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର, ୧୩ ଜଣ ଶିଳ୍ପଗୁରୁ ଭାବେ ସମ୍ମାନିତ ହୋଇଛନ୍ତି । ଏତଦ୍ବ୍ୟତୀତ ୩୩୨ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନମାନ ପ୍ରଦାନ କରୁଛନ୍ତି । ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତ ମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୂନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି । ଏତଦ୍ବ୍ୟତୀତ ହସ୍ତଶିଳ୍ପ ସାମଗ୍ରୀ ପାଇଁ ଅନ୍ଲାଇନ୍ ମାର୍କେଟିଂର ବ୍ୟବସ୍ଥା କରାଯାଉଛି । ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକି୍ରବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ଭୁବନେଶ୍ୱରଠାରେ ଆୟୋଜନ କରାଯାଇଛି । ଏହି ଅବସରରେ ୨୭ ଗୋଟି ଜିଲ୍ଲାରୁ ପ୍ରାୟ ୨୪୦ ଜଣ ହସ୍ତଶିଳ୍ପ କାରିଗରଙ୍କୁ ବିନାଦେୟରେ ଷ୍ଟଲ ପ୍ରଦାନ କରାଯାଇଛି । ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, ସମ୍ବଲପୁର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଗଜପତି, ଜଗତସିଂହପୁର, ମାଲକାନଗିରି, ଝାରସୁଗୁଡ଼ା, ନୁଆପଡ଼ା ଓ ଭଦ୍ରକ । ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୨ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହସ୍ତଶିଳ୍ପ ସାମଗ୍ରୀ ବିକି୍ର ହେବାର ଆକଳନ କରାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁ, ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ଶ୍ରୀ କାଶୀନାଥ ତି୍ରପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବିକ୍ରମାଦିତ୍ୟ ବାରିକ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ତଥା ବୃକ୍ଷରେ ଜଳଦାନପୂର୍ବକ ଆଜିର ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।

