୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :- ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ଅଙ୍ଗୱାଡ଼ି କେନ୍ଦ୍ର ସବୁ ବିଚିତ୍ର ସ୍ଥିତିରେ ରହିଥିବାର ଜଣାପଡିଛି । ଜିଲ୍ଲାର ଏହି ପଛୁଆ ନୂଆଗଡ଼ ବ୍ଲକରେ ୯୪ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ସୂଚନା ଅନୁଯାୟୀ ନୂଆଗଡ଼ ବ୍ଲକ ପରିସର ଭୂକ୍ତ ୧୯ ପଞ୍ଚାୟତର ୨୧୩ ଟି ୱାର୍ଡର ୭ଟି ସେକ୍ଟରରେ ସମୁଦାୟ ୨୭୪ଟି ଅଙ୍ଗୱାଡ଼ି କେନ୍ଦ୍ର ଅଛି । କିନ୍ତୁ ସେଥି ମଧ୍ୟରୁ ବେତାରସିଂ ସେକ୍ଟରରେ ୧୧ଟି, ବୁରୁସିଂ ସେକ୍ଟରରେ ୧୩ଟି, କେରେଡାଙ୍ଗ ସେକ୍ଟରରେ ୮ଟି,ଖଜୁରୀପଦା ସେକ୍ଟରରେ ୧୫ଟି, ଏନ.ଝାଲରସିଂ ସେକ୍ଟରରେ ୨୦, ନୂଆଗଡ଼ ସେକ୍ଟରରେ ୯ଟି, ଟଟରଙ୍ଗ ସେକ୍ଟରରେ ୧୮ଟି ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । 
ଏହି ସେକ୍ଟର ମାନଙ୍କର ବିଭିନ୍ନ ଗ୍ରାମର ବିଭିନ୍ନ କେନ୍ଦ୍ରର କୋଠା କାର୍ଯ୍ୟ ଆରମ୍ଭ ହୋଇ କେଉଁ କୋଠା ପୁନାଦିରେ, କେଉଁ କୋଠା ଅଧା କାନ୍ଥରେ, କେଉଁ କୋଠା ପିନ୍ତ ଲେବୁଲରେ, କେଉଁ କୃହ ଛାତ ପଡ଼ି ଝରକା କବାଟ ନାହିଁ ତ କେଉଁ ଗୃହରେ ପଲସ୍ତରା ହୋଇନାହିଁ । ଏହିଭଳି ଅଧପଇଁନ୍ତରା ଭାବରେ ପଡ଼ି ରହିଛି । କେଉଁ କେଉଁ ଗ୍ରାମରେ ଭିତି ଭୂମିର ଚିହ୍ନଟ ହୋଇ ପାରୁ ନଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ତେଣୁ କେତେକ ଅଙ୍ଗୱାଡ଼ି କର୍ମୀଙ୍କ ଘରେ, ଭଡ଼ା ଘରେ, ଗ୍ରାମର କୋଠ ଘରେ ଓ ସ୍କୁଲ ବିଲ୍ଡିଙ୍ଗର କୌଣସି ଏକ ଶ୍ରେଣୀ କୋଠରୀ ଠାରେ ଅଙ୍ଗୱାଡ଼ି ପରିଚାଳିତ ହେଉଥିବା ଜଣାପଡି଼ଛି । ୯୪ ଅଙ୍ଗୱାଡ଼ି କେନ୍ଦ୍ରର ନିଜସ୍ଵ କୋଠା ନଥିବାରୁ କୋମଳ ମତି ଶିଶୁ ମାନଙ୍କ ପାଠ ପଢାରେ ନାନା ସମସ୍ୟା ସୃଷ୍ଟି ହେବା ସହ କେନ୍ଦ୍ରକୁ ଆସୁ ଥିବା ଚାଉଳ,ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମଚାରୀ ମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

