• ବିବାହ ପୂର୍ବରୁ ଠିକ୍ ହୋଇଥିବା କନ୍ୟା ଚମ୍ପଟ ମାରିଲା ।
• ୨୪ ଘଣ୍ଟା ମଧ୍ୟରେ ଅନ୍ୟ ଏକ ଯୁବତୀଙ୍କ ସହ ଠିକ୍ କରାଗଲା ବରର ବିବାହ।
• ଶିଶୁପାଳ ହେବାରୁ ଅଳ୍ପକେ ବର୍ତ୍ତିଲା ବର।
୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ବର ପାଇଁ ଠିକ୍ ହୋଇଥିବା କନ୍ୟା ପ୍ରେମିକ ସହ ଚମ୍ପଟ ମାରିଲା। ବର ଶିଶୁପାଳ ହେବାକୁ ଯାଉଥିଲା। ତେବେ ଯାଦବ ସମାଜର ଉଦ୍ୟମ ଫଳରେ ମାତ୍ର ୨୪ ଘଣ୍ଟା ଭିତରେ ଅନ୍ୟ ଜଣେ ଯୁବତୀ ସହ ହୋଇଗଲା ସେହି ବରର ବିବାହ। ବାଜା ରୋଷଣୀ, ବରଯାତ୍ରୀଙ୍କ ସହ ବର ଆସି ପହଞ୍ଚିଲା। ବୈଦିକ ବିଧିବିଧାନ ଓ ପାରମ୍ପରିକ ରିତିନିତି ଅନୁଯାୟୀ ବିବାହ କାର୍ଯ୍ୟ ସଂପାଦିତ ହେଲା। ବରଯାତ୍ରୀଙ୍କ ପାଇଁ ଉତ୍ତମ ଭୋଜନର ବ୍ୟବସ୍ଥା କରାଗଲା। ଯାଦବ ମହାସଭାର ଉଦ୍ୟମ ଫଳରେ ଦୁଇଟି ଅପରିଚିତ ଯୁବକ ଯୁବତୀ ସାତ ଜନ୍ମର ସାଥି ହୋଇଗଲେ। ଏଥିରେ ଗ୍ରାମର ଛତିଶ ପାଟକର ଲୋକେ ଆକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କଲେ। 
ଏମିତି ଏକ ନିଆରା ବିବାହ ସଂପାଦିତ ହୋଇଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସୁହାଗପୁର ଗ୍ରାମର ପ୍ରମୋଦ ଗଉଡ ପୁଅ ଡମ୍ବରୁଧରଙ୍କ ବିବାହ ସରିଆଁ ଗ୍ରାମର ଜଣେ ଝିଅଙ୍କ ସହ ଠିକ୍ ହୋଇଥିଲା। ମାର୍ଚ୍ଚ ୧୭ ଶୁକ୍ରବାର ଦିନ ବିବାହ ଥିବାବେଳେ ଦୁଇ ଦିନ ଆଗରୁ ସଂପୃକ୍ତ ଝିଅ ତା’ର ପ୍ରେମିକ ସହ ଫେରାର ହୋଇଗଲା। ଏହି ଘଟଣା ଜାଣିବା ପରେ ବରଘର ଉପରେ ଚଡ଼କ ପଡ଼ିଗଲା। ଏପଟେ ଏମିତି ଏକ ଘଟଣା ଯୋଗୁଁ ଗାଁ ବଦନାମ ହୋଇଯିବ ଭାବି ଗ୍ରାମବାସୀ ଓ ଯାଦବ ସମାଜ କିଂକର୍ତ୍ତବ୍ୟ ବିମୁଢ ହୋଇଗଲେ।
