୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ଏକ ନବୀନ ଓଡିଶା ସଶକ୍ତ ଓ ପ୍ରଗତିଶୀଳ ଓଡିଶାର ପରିକଳ୍ପନା କରିଛନ୍ତି । ଯେଉଁଥିରେ ପରିବହନ କ୍ଷେତ୍ର ହେଉଛି ରାଜ୍ୟବାସୀଙ୍କ ଅଭିବୃଦ୍ଧି, ସମୃଦ୍ଧି ଓ କଲ୍ୟାଣର ମାଧ୍ୟମ । ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ସମସ୍ତ ପରିବହନ ବ୍ୟବସ୍ଥା ଯଥା ସଡ଼କ, ରେଳ, ଜଳ ଓ ବେସାମରିକ ବିମାନ ଚଳାଚଳ ସୁଯୋଗକୁ ବାସ୍ତବ ଓ ସାକାର କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି । ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ରାଜ୍ୟ ତଥା ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ନିରବଚ୍ଛିନ, ସୁନିଶ୍ଚିତ କରିବା ଏବଂ ମଲଫିମୋଡାଲ ଇକୋସିଷ୍ଟମକୁ ମଜବୁତ କରିବା ସହ ପରିବହନ ସଂଯୋଗୀକରଣ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି ।
ସେହିପରି ରାଜ୍ୟର ସମସ୍ତ ଜିଲ୍ଲାକୁ ରେଳ ସଂଯୋଗୀକରଣ କରିବା, ଓଡିଶାକୁ ସ୍ଥାୟୀ ସାମୁଦ୍ରିକ ବନ୍ଦରର ବିକାଶ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ପ୍ରଗତିଶୀଳ ରାଜ୍ୟ ଭାବେ ପରିଣତ କରିବା ଏବଂ ସଡ଼କ ଦୁର୍ଘଟଣା ଏବଂ ତତ୍ଜନୀତ ମୃତାହତଙ୍କ ସଂଖ୍ୟା ହ ୍ରାସ କରିବା ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କ ସହଯୋଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ରାଜ୍ୟ ସରକାର ବିଭାଗ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେହିପରି ଆକାଶ ମାର୍ଗ ପରିବହନ ବ୍ୟବସ୍ଥା ମାଧ୍ୟମରେ ଆନ୍ତଃରାଜ୍ୟ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଇତି ମଧ୍ୟରେ ବେସାମରିକ ବିମାନ ଚଳାଚଳ, ମୋଟର ଯାନ ଚଳାଚଳ, ପଣ୍ୟବାହୀ ଟ୍ରକ ଯାନର ସୁଗମ ଚଳାଚଳ, ବାୟୁ ପ୍ରଦୂଷଣ ହ ୍ରାସ ଏବଂ ଅଣପ୍ରମୁଖ ବନ୍ଦରଗୁଡିକର ବିକାଶ ପାଇଁ ବେସରକାରୀ ବିକାଶକାରୀ/ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ ରେ କେତେକ ନୀତି ପ୍ରଣୟନ କରାଯାଇଛି ।
