୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଆଗାମୀ ରଥଯାତ୍ରା ପାଇଁ ରଥକାଠ ଯୋଗାଣ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଆୟୁକ୍ତ ଡଃ ଦଳାଇ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ ପ୍ରକାରର କାଠର ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୧୧୮ ଖଣ୍ଡ ବଳକା ଥିବାରୁ ଅବଶିଷ୍ଟ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ବୋଲି ସୂଚନା ଦେଇଥିଲେ । 
ଏହି କାଠ ନୟାଗଡ,ବୌଦ୍ଧ, ଖୋର୍ଦ୍ଧା, ଘୁମୁସର, ରେଢାଖୋଲ ଇତ୍ୟାଦି ବନଖଣ୍ଡ ରୁ ଯୋଗାଣ ପାଇଁ ସଂପୃକ୍ତ ଡିଏଫଓ ମାନେ ସୂଚନା ଦେଇଛନ୍ତି । ଅପରପକ୍ଷରେ ରଥ କାଠର ଆବଶ୍ୟକତା କୁ ମେଣ୍ଟାଇବା ପାଇଁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ର ବ୍ୟବସ୍ଥା ସହ ନିୟମିତ ଅନୁଧ୍ୟାନ କରାଯାଉଛି ।ପ୍ରତ୍ୟେକ ଡିଏଫଓ ମାନେ ସେମାନଙ୍କ ଅଞ୍ଚଳକୁ ଅନୁଧ୍ୟାନ କରି ରଥକାଠ ସମ୍ପର୍କରେ ଏକ ଡାଟାବେଶ ପ୍ରସ୍ତୁତ କରିବାକୁ ଆୟୁକ୍ତ ପରାମର୍ଶ ଦେଇଥିଲେ । ଯେଉଁ ବ୍ୟକ୍ତି ବିଶେଷ ରଥ ନିର୍ମାଣ ପାଇଁ କାଠ ସ୍ୱଇଛାରେ ଦେଉଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଡ଼ଃ ଦଳାଇ ମତ ଦେଇଥିଲେ ।

