୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ସାମୁଦ୍ରିୟ ପରିଷଦର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ରାଜ୍ୟରେ ଥିବା ଛୋଟଛୋଟ ବନ୍ଦର ଗୁଡ଼ିକର କାର୍ଯ୍ୟକାରିତା, ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ଏହି ବୋର୍ଡ ଗତ ବର୍ଷ ପ୍ରତିଷ୍ଠା କରାଯାଇଛି । ଉକ୍ତ ପରିଷଦର ନୀୟମ ଅନୁଯାୟୀ ବରିଷ୍ଠ ପଦାଧିକାରୀଙ୍କ ପଦବୀ ତୁରନ୍ତ ପୂରଣ ନିମନ୍ତେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସେବାରେ ଥିବା ଦକ୍ଷ ଅଧିକାରୀମାନଙ୍କୁ ପ୍ରତ୍ୟେକ୍ଷ କିମ୍ବା ଡେପୁଟେସନ ମାଧ୍ୟମରେ ନିଯୁକ୍ତି କରି ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନିତ କରିବା ଉପରେ ସେ ଗୁରୁତ୍ୱଆରୋପ କରିଛନ୍ତି । 
ଉକ୍ତ ପରିଷଦ ନିଜସ୍ୱ ସମ୍ବଳରେ କାର୍ଯ୍ୟକ୍ଷମ କରିବା, ବନ୍ଦର ଉନ୍ନତିକରଣ, ପୁଞ୍ଜିନିବେଶ ଏବଂ ସାମୁଦ୍ରିକ ପରିବହନ ଉପରେ ନିର୍ଭରଶୀଳ ଶିଳ୍ପକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଏତତ୍ ବ୍ୟତିତ ପରିଷଦର ଲୋଗୋ ଓ ଟ୍ୟାଗ ଲାଇନ ଡ଼ିଜାଇନ ପାଇଁ ସର୍ବସାଧାରଣଙ୍କ ଠାରୁ ପ୍ରତିଯୋଗିତା ମୂଳକ ଏଣ୍ଟ୍ରି ଆହ୍ୱାନ କରାଯିବ । ଯୋଗ୍ୟ ବିବେଚିତ ଲୋଗୋକୁ ପୁରସ୍କୃତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷ ପାଢ଼ୀ ବୈଠକରେ ପରିଷଦ ଗଠନ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

