Home ଓଡ଼ିଶା ପୁରୀ ସ୍ବର୍ଗଦ୍ବାର : କିଏ ଜାଣେ କେତେବେଳେ କ’ଣ ଘଟିବ..? by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ ;- ଏବେ ଦିନେ ପୁରୀ ସ୍ବର୍ଗଦ୍ବାରକୁ ଯିବାର ସୌଭାଗ୍ୟ ମିଳିଥିଲା କୋକେଇ ଉପରେ ଶୋଇକି ନୁହେଁ, କୋକେଇ ସାଥିରେ ଚାଲିକି । କିଏ ଜଣେ କହିଲା ଯେ ପୁରୀ ସ୍ବର୍ଗଦ୍ବାର କୁଆଡ଼େ ଭାରି ଚକାଚକ୍ ହୋଇଯାଇଛି। ଭାବିଲି ଶୋଇକି ଯିବା ପୂର୍ବରୁ ଥରେ ଚାଲିକି ଯାଇ ଦେଖି ଆସେ । ମନଟା ଯେମିତି ଶୋଇକି ଗଲାବେଳେ ଅପରିଷ୍କାର ଜାଗାଟା ବୋଲି ଭାବି ଆଉ ଦୁକୁଦୁକୁ ହେଉ ନଥବ । କିଏ ଜାଣେ କେତେବେଳେ କ’ଣ ଘଟିବ..? ଅନ୍ତତଃ ମଣିଷ ଟିକେ ଶାନ୍ତିରେ ତ ପୋଡ଼ା ହେବ । ସତରେ ଭାରି ଚକାଚକ୍ ହୋଇଯାଇଛି । ଦେଖିଲେ ମରିଯିବାକୁ ଆଉ ଡର ମାଡୁନାହିଁ । ଶୁଣିଲି, ପୁରୀ ସ୍ବର୍ଗଦ୍ବାର କିଛି ନୁହଁ। ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦରାବାଦରେ ଏପରି ସବୁ ପଞ୍ଚତାରକା ସ୍ବର୍ଗଦ୍ବାର ନିର୍ମାଣ ହୋଇଛି ଯେ ତାକୁ ଦେଖିଲେ ଆପଣଙ୍କର ସେଇଠି ମରିଯିବାକୁ ଇଚ୍ଛା ହେବ । ଯାହା ହେଉ ସେମତି ନ ହେଲେ ବି ଆଉ ଆଗ ଭଳି ଅପରିଷ୍କାର ଅପରିଚ୍ଛନ୍ନ ନାହିଁ । ଚାରିଆଡ଼େ ମାର୍ବଲ, ଗ୍ରାନାଇଟ, ଆଲୋକସଜ୍ଜା ଓ ବିଭିନ୍ନ ଗଛପତ୍ର ଲାଗି ବେଶ୍ ସୁନ୍ଦର ହୋଇଯାଇଛି । ସବୁ କଥା ଗୋଟିଏ ନିର୍ଦ୍ଦିଷ୍ଟ ଧାରାରେ ହେଉଛି । ଆଗେ ଯେମିତି ଯିଏ ଯେଉଁଠି ପାଇଲା ସେଇଠି ପୋଡି ଦେଉଥିଲା ସେମିତି ଆଉ ନାହିଁ । ଆପଣଙ୍କୁ ନିୟମାନୁଯାୟୀ ତାଲିକାଭୁକ୍ତ ହେବା ପରେ ଆପଣଙ୍କ ସଂଖ୍ୟା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅପେକ୍ଷାରତ ମୃତ ଶରୀର ପାଇଁ ସ୍ବତନ୍ତ୍ର ମାର୍ବଲ ଓ ଗ୍ରାନାଇଟ ପିଣ୍ଡିମାନ ତିଆରି ହୋଇଛି । ଅନ୍ତିମ ସଂସ୍କାର ନିମନ୍ତେ ପଣ୍ଡିତ ମିଳିବା ସହିତ ପୂଜା କରିବା ନିମନ୍ତେ ସମସ୍ତ ପ୍ରକାର ଫୁଲ ଓ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ଜାଳେଣି କାଠ ଯେତିକି ଦରକାର ସେତିକି ମିଳୁଛି । ଏପରି କି ବସିବା, ଶୋଇବା ଓ ପିଇବା ପାଇଁ ଆଧୁନିକ ଶୀତତାପ ନିୟନ୍ତ୍ରିତ ଭୋଜନାଳୟର ମଧ୍ୟ ବ୍ୟବସ୍ଥା ରହିଛି। ଡାକବାଜି ଯନ୍ତ୍ର ମଧ୍ୟରେ ନିରନ୍ତର ଗାୟତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ର ବୋଲା ଚାଲିଛି ଓ ଆବଶ୍ୟକୀୟ ସୂଚନା ମଝିରେ ମଝିରେ ଦିଆ ଚାଲିଛି । ସବୁ ଠିକ୍ ଅଛି କିନ୍ତୁ ବ୍ୟବହାର କରିବା ପାଇଁ ଯେତିକି ପିଣ୍ଡି ଅଛି, ତାହାଠାରୁ ଅଧିକ ଶବ ହୋଇଯିବାରୁ ଦ୍ବାରଦେଶରେ କିଛି ଶବ ଅପେକ୍ଷାରତ ଅବସ୍ଥାରେ ଦେଖିବାକୁ ମିଳିଲା ସବୁ ପିଣ୍ଡିରେ ଶବଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିଲେ; କିନ୍ତୁ ସମୁଦ୍ର କୂଳକୁ ଲାଗି ପ୍ରାୟ ଆଠଟି ପିଣ୍ଡି ଖାଲି ପଡିଥିଲା । ଏଣେ ପିଣ୍ଡି ଖାଲି ପଡିଛି, ଆଉ ତେଣେ ଶବ ଓ ଶବବାହକମାନେ ଅପେକ୍ଷା କରି ରହିଛନ୍ତି । କାରଣ କ’ଣ? ବୁଝୁବୁଝୁ ଜଣାପଡିଲା ଯେ ଏହି ପିଣ୍ଡିଗୁଡ଼ିକ କୁଆଡ଼େ ଅତି ବିଶିଷ୍ଟ ବ୍ୟକ୍ତି (ଭିଆଇପି) ଙ୍କ ଶବଗୁଡ଼ିକ ପାଇଁ ସଂରକ୍ଷିତ ହୋଇ ରହିଛି। ହେ ଭଗବାନ, ଏଠି ବି ଭିଆଇପି.! ଜିଇଥୁଲା ଯାକ ତ ଆପଣମାନେ ଭିଆଇପି ହୋଇକି ଉପଦ୍ରବ କଲେ। ରାସ୍ତାରେ ଘାଟରେ ଆମକୁ ଟିକେ ଶାନ୍ତିରେ ଚାଲିବାକୁ ଦେଲେନାହିଁ; ଆଉ ଏବେ ମଲା ପରେ ବି ଆମକୁ ଟିକେ ଶାନ୍ତିରେ ମରିବାକୁ ବି ଦେବେ ନାହିଁ। ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ ଜିଇଥିଲା ଯାକ ଯେତେବେଳେ ପୁରୀ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି, ମନରେ ପ୍ରଶ୍ନ ଉଠେ କିଏ କାହାକୁ ଦର୍ଶନ କରିଥାନ୍ତି? ଏମାନେ ଠାକୁରଙ୍କୁ ଦର୍ଶନ କରନ୍ତି ନା ଠାକୁର ଏମାନଙ୍କୁ ଦର୍ଶନ କରନ୍ତି । ଆମ୍ଭେମାନେ ସାଧାରଣତଃ ଠାକୁରଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥାଉ। ଏମାନଙ୍କ ପାଇଁ ବୋଧହୁଏ ଠାକୁର ଦର୍ଶନ ଦେବାକୁ ଅପେକ୍ଷା କରିଥାନ୍ତି, କାରଣ ଏମାନେ ଆସିବା ପୂର୍ବରୁ ଆମ୍ଭମାନଙ୍କୁ ସବୁ ମନ୍ଦିର ଭିତରୁ ଘଉଡ଼େଇ ଦିଆଯାଇଥାଏ ଓ ବଡ଼ଠାକୁରଙ୍କୁ ଏମାନଙ୍କ ପାଇଁ ଦର୍ଶନ ନିମନ୍ତେ ସଂରକ୍ଷଣ କରି ରଖାଯାଇଥାଏ। ଜୀବନଯାକ ମନ୍ଦିର ଭିତରେ ଏହି ସଂରକ୍ଷଣ ବ୍ୟବସ୍ଥା। ଏମାନଙ୍କ ପାଇଁ ରଖାଯାଇଥାଏ; କିନ୍ତୁ ମୃତ୍ୟୁ ପରେ ବି ଏହି ବ୍ୟବସ୍ଥା ସ୍ବର୍ଗଦ୍ବାରରେ ଲାଗୁ ହେଉଛି ବୋଲି ଦେଖିବାକୁ ପଡିଲା । ମନେ ହୁଏ ସତେ ଯେମିତି ଯମରାଜ ମଧ୍ୟ ଏମାନଙ୍କୁ ସ୍ବାଗତ କରିବାକୁ ଗେଣ୍ଡୁ ଫୁଲମାଳ ଧରି ସ୍ଵର୍ଗର ମୁଖ୍ୟଦ୍ଵାରରେ ଅପେକ୍ଷା କରି ରହିଛନ୍ତି ଏବଂ ବାଟରେ କାଳେ କିଛି ଅଘଟଣ ଘଟିଯିବ, ତେଣୁ ଏମାନଙ୍କ ଯିବା ନିମନ୍ତେ ସ୍ବର୍ଗଦ୍ବାରରେ ସ୍ବତନ୍ତ୍ର ଏହି ବ୍ୟବସ୍ଥା ରହିଛି। ଇତିହାସ କହେ ମିଶର ଦେଶର ରାଜା ମହାରାଜାମାନଙ୍କ ନିମନ୍ତେ ମୃତ୍ୟୁପରେ ପିରାମିଡ଼ ନିର୍ମାଣ କରାଯାଇ ଏହି ପରି ସ୍ଵତନ୍ତ୍ର ବ୍ୟବସ୍ଥା ସବୁ କରାଯାଉଥିଲା। ଏହି ପିରାମିଡ଼ ମଧ୍ୟରେ ସେମାନଙ୍କ ଶବ ସହିତ ଅଜସ୍ର ଧନ ସମ୍ପତ୍ତିର ବ୍ୟବସ୍ଥା କରାଯାଉଥିଲା ଓ ସେମାନଙ୍କର ସେବା ଶୁଶ୍ରୂଷା ନିମନ୍ତେ ଅନେକ ରାଣୀ, ମହାରାଣୀ, କ୍ରୀତଦାସ ଓ ସୁରକ୍ଷା କର୍ମଚାରୀମାନଙ୍କୁ ମଧ୍ୟ ଜୀବନ୍ତ ସମାଧୂ ଦିଆଯାଉଥିଲା, ଯେପରି କି ମଲାପରେ ବି ସେମାନଙ୍କୁ ଯଥାବିଧୂ ସେବା ଶୁଶ୍ରୂଷା ମିଳିବାରେ କୌଣସି ବ୍ୟାଘାତ ନ ଘଟେ। ରକ୍ଷା ଅଛି, ଏ ପରି ବ୍ୟବସ୍ଥା ଆଉ ନାହିଁ, ନଚେତ୍ ଆମ ଦେଶର ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ କେବଳ ସ୍ବର୍ଗଦ୍ବାରରେ ପିଣ୍ଡି ନୁହେଁ, ସ୍ବର୍ଗରେ ମଧ୍ୟ ଆବଶ୍ୟକ ମନୋରଞ୍ଜନ ଓ ସୁରକ୍ଷାର ସ୍ବତନ୍ତ୍ର ବ୍ୟବସ୍ଥା କରି ଦେଇଥା’ନ୍ତେ । ସ୍ଵର୍ଗଦ୍ଵାରରେ ଏହି ଅତି ବିଶିଷ୍ଟ ଶବ ଓ ଶବବାହକ ମାନଙ୍କର ଗର୍ବ ଓ ଆସୁଦ୍ଧା ଦେଖିଲେ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଇଂରାଜୀ କବି ଶୈଲିଙ୍କର କାଳଜୟୀ କବିତା ‘ଓଜିମାଣ୍ଡିୟସ’ କଥା ମନେ ପଡ଼େ । ଏହି କବିତାରେ ବିଶାଳ ମରୁଭୂମିରେ ଅବକ୍ଷୟ ହୋଇ ଅଧା ପୋତି ହୋଇ ପଡିଥିବା ମହାନ ପରାକ୍ରମୀ ବିଶ୍ବବିଜୟୀ ସମ୍ରାଟ ଓଜିମାଣ୍ଡିୟସଙ୍କ ପ୍ରତିମୂର୍ତ୍ତି ତଳେ ଲେଖା ବାକ୍ୟଗୁଡିକ ଅତ୍ୟନ୍ତ ଗର୍ବ ଓ ଅହଙ୍କାର ସହିତ କହୁଛନ୍ତି, “ମୁଁ ହେଉଛି ଓଜିମାଣ୍ଡିୟସ । ମୁଁ ହେଉଛି ସମ୍ରାଟମାନଙ୍କର ସମ୍ରାଟ । ତୁମେ ଯେତେ ରାଜା ଓ ମହାରାଜାମାନେ ଉପସ୍ଥିତ ଅଛ, ମୋତେ ଦୃଷ୍ଟି ନିକ୍ଷେପ କର ଏବଂ ମୋ ସାମ୍ନାରେ ତୁମେମାନେ କେତେ ତୁଚ୍ଛ ଓ କ୍ଷୁଦ୍ରତିକ୍ଷୁଦ୍ର ତାହା ଅନୁଭବ କର।” କବିଙ୍କ ଭାଷାରେ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଏହି ଯେ ଯେଉଁ ଓଜିମାଣ୍ଡିୟସ ଏ କଥା କହୁଛନ୍ତି ତାଙ୍କର କେବଳ ବିଶାଳ ଭଗ୍ନ ଜାନୁ ଯୋଡିକ ମରୁଭୂମିର ବାଲି ଉପରେ ଛିଡ଼ା ହୋଇ ରହିଛି ଓ ମୁଣ୍ଡ ଗଣ୍ଡିଠାରୁ ଚ୍ଛିନ୍ନ ହୋଇ ଅର୍ଦ୍ଧେକ ବାଲି ଭିତରେ ପୋତି ହୋଇଯାଇଛି। ଚତୁଃଦିଗରେ କେବଳ ବାଲି ଓ କେତେ ଖଣ୍ଡ ନିର୍ଜୀବ ଶିଳାଖଣ୍ଡ ମାତ୍ର ଏହି ବକ୍ତବ୍ୟର ସାକ୍ଷୀ ହୋଇ ରହିଛନ୍ତି । ସବୁ ମହାକାଳ ଗର୍ଭରେ ପୋତି ହୋଇଯାଇଛି । ବନ୍ଧୁଗଣ, ଥରେ ଜଣେ ଦାର୍ଶନିକ କହିଥିଲେ ‘ମୃତ୍ୟୁ ହେଉଛି ଏହି ସଂସାରର ସର୍ବଶ୍ରେଷ୍ଠ ସାମ୍ୟବାଦୀ’, ଯାହା ପାଇଁ ଧନୀ ଗରିବ, ଉଚ୍ଚ ନୀଚ ଓ ବଡ଼ ସାନ ସମସ୍ତେ ସମାନ । କିନ୍ତୁ ବିଶିଷ୍ଟ ଲେଖକ ଜର୍ଜ ଅରୱେଲ ତାଙ୍କ ‘ଆନିମଲ ଫାର୍ମ’ ଉପନ୍ୟାସରେ ପ୍ରମାଣ କରିଦେଇଛନ୍ତି ଯେ ଏ ସଂସାରରେ ସମସ୍ତେ ସମାନ ହୋଇପାରନ୍ତି କିନ୍ତୁ କେତେ ଜଣ ବ୍ୟକ୍ତି ସର୍ବଦା ସମସ୍ତଙ୍କଠାରୁ ଅଧିକ ସମାନ ହୋଇଥାଆନ୍ତି। ପୁରୀ ସ୍ବର୍ଗଦ୍ବାର ଏହାର ଅନ୍ୟତମ ନିଛକ ପ୍ରମାଣ। Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ by Proprietor Abhimanyu Maharana August 16, 2026 ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ by Proprietor Abhimanyu Maharana August 16, 2026 ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026