୧ କୋଟି ୨ ଲକ୍ଷ ଟଙ୍କା ରେ ନବ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ବାଳକ ହଷ୍ଟେଲ ପାଲଟିଛି ଭୂତକୋଠି

୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼  :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ଅନୁସୂଚିତ ଜନଜାତି ଓ ଜାତି ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ ଆଶ୍ରମ ର ନବ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ବାଳକ ହଷ୍ଟେଲ ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ହେବ ଭୁତକୋଠି ପାଲଟିଛି । ଏଚ୍ ଏଲ ସିଏଲ ଯୋଜନା ମାଧ୍ୟମରେ ୧ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନବ ନିର୍ମିତ ବାଳକ ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ୨୦୧୭/୧୮ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭ ରୁ ସ୍ଥାନୀୟ ଗୁଣବତ୍ତା ( ଲୋକାଲ କ୍ୟୁଲିଟି ) ଲୁହା ଛଡ଼ ସାଙ୍ଗକୁ ସିମେଣ୍ଟ ଓ ବାଲି ର ମିଶ୍ରଣ ଅନୁପାତ କୁ ନେଇ ଗ୍ରାମବାସୀ ସେହି ସମୟରେ ଆଦିବାସୀ ହରିଜନ କଲ୍ୟାଣ ବିଭାଗ , ଉପଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ଦ୍ଵାରସ୍ଥ ହୋଇଥିଲେ । ଅନ୍ୟପଟେ ସଂପୃକ୍ତ ଠିକାଦାର ଜଣକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ଥିବା ରୁ ଗ୍ରାମବାସୀ ଙ୍କ ଅଭିଯୋଗ ମଧ୍ୟ କାମ ଦେଲାନି । ଯାହାଫଳରେ ଠିକାଦାର ଜଣକ ନିଜ ମନ ମୁତାବକ ଉକ୍ତ ହଷ୍ଟେଲ ନିର୍ମାଣ କାମ କରିବାରେ ଲାଗିଲେ ଉକ୍ତ ହଷ୍ଟେଲ ଟି ବାହାର ପଟେ ପୁରା ଚକଚାକ ଦେଖାଯାଉଛି । ଭିତରକୁ ପଶିଲେ ନିମ୍ନ ମାନର କାମ ହୋଇ ଥିବା ଜଣାପଡିଛି । ଠିକାଦାର ଙ୍କ କହିବା ଅନୁସାରେ ଉକ୍ତ ହଷ୍ଟେଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଦର୍ଶାଇ ୧୫/୧୧/୨୦୨୧ ମସିହାରେ ଆଦିବାସୀ କଲ୍ୟାଣ ବିଭାଗ ( ଜିଲ୍ଲା ମଙ୍ଗଳ ଅଧିକାରୀ) ଙ୍କୁ ସେ ହସ୍ତାନ୍ତର କରିଥିବା କହିଛନ୍ତି । ଅନ୍ୟପଟେ ଆଶ୍ରମର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ବିଭାଗୀୟ ଜିଲ୍ଲା ଅଧିକାରୀ ଙ୍କ ଠାରୁ ଉକ୍ତ ହସ୍ତାନ୍ତର ଚିଠି ପାଇବା ପରେ ସଂପୃକ୍ତ ଠିକାଦାର ଙ୍କୁ ଆଶ୍ରମ କୁ ଡ଼ାକି ଥିଲେ ।

ଉକ୍ତ ହଷ୍ଟେଲ ରେ ବିଦ୍ୟୁତ ସଂଯୋଗିକରଣ କରାଯାଇନଥିବା ସାଙ୍ଗକୁ, ଲାଇଟ୍ ଫ୍ୟାନ , ପାନୀୟଜଳର ବ୍ୟବସ୍ଥା , ଗଭୀର ନଳକୂପ ରେ ପମ୍ପ ସଂଯୋଗିକରଣ ସହ ହଷ୍ଟେଲ ଚର୍ତୁପାଶ୍ୱର କଂକ୍ରିଟ କାମ ହୋଇନଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ବିଭାଗୀୟ ଅଧିକାରୀ ଙ୍କ ସହ ଠିକାଦାର ଙ୍କୁ ଲିଖିତ ଅବଗତ କରାଇଥିଲେ । ସଂପୃକ୍ତ ଠିକାଦାର ଜଣକ ଏକମାସ ମଧ୍ୟରେ ଏହି ସବୁ କାମ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦେଢ଼ ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତାଉଥିଲେ ମଧ୍ୟ ଉକ୍ତ ହଷ୍ଟେଲ ସେହି ଅବସ୍ଥା ରେ ପଡ଼ିରହିଛି । ନିମ୍ନ ମାନର କାମ ଯୋଗୁଁ ହଷ୍ଟେଲ ଭିତରେ କାନ୍ଥ ଓ ଛାତରୁ ସିମେଣ୍ଟ ଖସୁଥିବା ସହ ବ୍ୟବହାର କରାଯାଇଥିବା ଲୋକାଲ ପାଇପ ଗୁଡିକ ଫାଟିଗଲାଣି ।

ଏପରି କି ହଷ୍ଟେଲର ଚର୍ତୁପାଶ୍ୱର୍ରେ ଅନାବନା ଗଛଲତା ଗୁଡିକ ଉଠି ଯାଇ ଥିବା ସହ ଏବେ ଉକ୍ତ ହଷ୍ଟେଲ ଟି ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଏ ସମ୍ପର୍କରେ ଠିକାଦାର ଦୀନେଶ ଅଗ୍ରୱାଲ ଙ୍କୁ ପଚାରିବାରୁ ହଷ୍ଟେଲ କାମ ସମ୍ପୂର୍ଣ୍ଣ ହେବା ସହ ବିଭାଗ କୁ ହସ୍ତାନ୍ତର କରାଯାଇଛି । ଛାତ୍ର ମାନେ ରହୁନଥିବାରୁ ବିଦ୍ୟୁତ ଓ ପାନୀୟ ଜଳ ସହ ଚର୍ତୁପାଶ୍ୱ କଂକ୍ରିଟ କରଣ କରାଯାଇନାହିଁ । ହଷ୍ଟେଲ ରେ ଛାତ୍ର ମାନେ ରହିବା ପରେ ବାକି କାମ ଗୁଡିକ କରିଦିଆଯିବ ବୋଲି ବେପାରୁଆ ମନ୍ତବ୍ୟ ଦେଇଥିଲେ । ଅନ୍ୟପଟେ ଉକ୍ତ ଆଶ୍ରମ ରେ ଆବଶ୍ୟକ ହଷ୍ଟେଲ ଗୃହ ନଥିବାରୁ ଛାତ୍ର ମାନେ ନାନା ପ୍ରକାର ଅସୁବିଧା ସମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲାପାଳ ସହ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ , ମନ୍ତ୍ରୀ ଓ ସଚିବ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version