ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀଙ୍କ ନୟାଗଡ ଡିଭିଜନ ଗସ୍ତ  

ଅଭିଯୋଗ ଶୁଣାଣି କରିବା ସହ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀମାନେ ଅଧିକ ଲାଭ ଉଠାଇବାକୁ ପରାମର୍ଶ

୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ସୋମବାର ନୟାଗଡ ଜିଲ୍ଲା ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ସେଠାରେ ପ୍ରଥମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରଶିକ୍ଷଣ କକ୍ଷରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ ଉଠାଜଳସେଚନ ପ୍ରକଳ୍ପର ସ୍ଥିତି ଓ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ସଭାପତି, ଫୁଲବାଣୀ ସାଂସଦଙ୍କ ପ୍ରତିନିଧି ଶ୍ରୀ ସଦାଶିବ ମିଶ୍ର ଓ ଅନ୍ୟ ସଂପୃକ୍ତ ବିଧାୟକମାନଙ୍କ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡଃ. ଅରୁଣ କୁମାର ସାହୁଙ୍କ ସହିତ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ନୟାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସବିଶେଷ ସମୀକ୍ଷା କରିବା ସହ କୃଷକମାନଙ୍କର ଅଭିଯୋଗର ଶୁଣାଣି କରିଥିଲେ ।  ବିଭିନ୍ନ ଅଂଚଳରେ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗୀକରଣ,ପ୍ରକଳ୍ପର ପାଇପ୍ ମରାମତି, ରକ୍ଷଣାବେକ୍ଷଣ, ସେଚାଂଚଳର ଉନ୍ନତିକରଣ, ମରାମତି ଯୋଗ୍ୟ ପ୍ରକଳ୍ପର ପୁନଃ କାର୍ଯ୍ୟକ୍ଷମ କରାଯିବା ସଂପର୍କିତ କୃଷକମାନଙ୍କର ରହିଥିବା ଅଭିଯୋଗର ଶୁଣାଣି କରି ସେସବୁର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ସହ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଥିଲା । ଉଠା ଜଳସେଚନ ପ୍ରକଳ୍ପଗୁଡିକରୁ କୃଷକମାନେ କିପରି ଅଧିକରୁ ଅଧିକ ଲାଭ ଉଠାଇ ପାରିବେ, ସେ ସଂପର୍କରେ ଆଲୋକପାତ କରି ଧାନ ବ୍ୟତୀତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଉପସ୍ଥିତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ସୁବିଧାଜନକ ଥିବା ସବୁ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରି କୃଷିର ଉନ୍ନତି ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖିଛନ୍ତି ଏବଂ ଓଏଲଆଇସି ପ୍ରତି ତାଙ୍କର ଯେଉଁ ଭରସା ରହିଛି, “୫-ଟି” ଉପକ୍ରମ ଆଧାରରେ ସମ୍ମିଳିତ ପ୍ରଚେଷ୍ଠା ଜାରି ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବା ଏବଂ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣରେ ଉପଯୁକ୍ତ ସହଯୋଗ ଜାରି ରଖିଲେ ଆମେ ନିଶ୍ଚିତ ଭାବେ ଅଧିକ ସଫଳତା ହାସଲ କରିପାରିବା ।ଏଥି ସହିତ ଯେଉଁସ୍ଥାନରେ ନୂତନ ପ୍ରକଳ୍ପର ଆବଶ୍ୟକତା ରହିଛି,ଆଗାମୀ ଏପ୍ରିଲ ମାସରେ ତାହା ଆବେଦନ କରିବାକୁ ବୈଠକରେ ଜନସାଧାରଣ ତଥା କୃଷକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଉଭୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ, ଓଏଲଆଇସି, କଟକ, ମାନସ ରଂଜନ ନାୟକ, ନିର୍ବାହୀ ଯନ୍ତ୍ରୀ, ନୟାଗଡ ନିରଞ୍ଜନ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଖଣ୍ଡପଡା ବିଜୟ କୁମାର ତରାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ,ଦଶପଲ୍ଲା, ଅଶୋକ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ (ଯାନ୍ତ୍ରିକ), ନୟାଗଡ ଅଶ୍ୱିନୀ କୁମାର ସାମନ୍ତରାୟ, ସହକାରୀ ଯନ୍ତ୍ରୀ(ବିଦ୍ୟୁତ୍), ନୟାଗଡ, ବିଭୁଦତ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଷ୍ଟିମେଟର), ଗତିକୃଷ୍ଣ ମଲ୍ଲିକ,କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ, ଶେଖ୍ ଇମ୍ରାନ୍ ଅଲ୍ଲୀ, ଶ୍ରୀ ବାମନ ଚରଣ ବାରିକ, ଶ୍ରୀ ପ୍ରଫୁଲ୍ଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version