୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବାପା ମା’ ଛେଉଣ୍ଡ ତିନି ଅନାଥ ଶିଶୁଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରାମର୍ଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଟିମ୍, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଲମ୍ବୋଦର ଦୀପ୍ ଓ ସ୍ଥାନୀୟ ପାଟଣାଗଡ ବି.ଡ଼ି.ଓ ସୁମନ୍ତ କୁମ୍ଭାର ପ୍ରମୁଖ ମୁଣ୍ଡୋମହୁଲ ପଂଚାୟତର ରାଣୀଦର୍ହ ଗ୍ରାମକୁ ଯାଇ ବାପା-ମା ଛେଉଣ୍ଡ ହୋଇଥିବା ତିନିଜଣ ପିଲାଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସାନ୍ତ୍ୱନା ଦେଇଥିଲେ ।
ସ୍ଥିତିର ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଏହି ତିନି ଅନାଥ ପିଲାଙ୍କ ନାମ ହେଲା ପ୍ରମିତା ମାଉସିଆ (୧୩ ବର୍ଷ), ପ୍ରକାଶ ମାଉସିଆ (୧୫ ବର୍ଷ), ଏବଂ କବିତା ମାଉସିଆ (୨୦ ବର୍ଷ) । ଏମାନଙ୍କର ପିତା ସଦାଶିବ ମାଉସିଆଙ୍କର ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ସଦାଶିବ ଦିନ ମଜୁରୀଆ ଭାବରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ଅନ୍ତେ ମା ସେବତୀ ମାଉସୀଆ ଯେନେତେନ ପ୍ରକାରେ ପିଲାମାନଙ୍କର ପ୍ରତି ପୋଷଣ କରୁଥିଲେ । ଗତ ଫେବୃଆରୀ ମାସ ୧୯ ତାରିଖ ଦିନ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସେବତୀ ପ୍ରାଣ ତ୍ୟାଗ କରିଥିଲେ ।

