ରାୟଗଡ଼ା ପିତାମହଲ ଆଶ୍ରମ ବିଦ୍ୟାଳୟରେ ଶିଶୁ ମହୋତ୍ସବ ଆଡିନ : ୨୦୨୩ ଆୟୋଜିତ

୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ରାୟଗଡ଼ା ବ୍ଳକ  ପିତାମହଲ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ -ଶିକ୍ଷକ ସମାବେଶ ଅବସରରେ ଶିଶୁ ମହୋତ୍ସବ ଆଡିନ- ୨୦୨୩ ଅନୁଷ୍ଠିତ ହୋଇଯାଇଛି । କୁଭି ଭାଷାରେ ଆଡିନର ଅର୍ଥ ହେଲା ପରିବା । ପିଲାଙ୍କୁ ଶିକ୍ଷା ଓ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏଭଳି ମହୋତ୍ସବରେ ରାୟଗଡା ଶିକ୍ଷା ମଣ୍ଡଳାଧିଶ ଶ୍ୟାମଘନ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ନୂତନ ଶିକ୍ଷା ନୀତି ୨୦୨୦ ଆଧାରରେ ଏଫ ଏଲଏନ ଅଭିଯାନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପିଲାଙ୍କ ଦ୍ଵାରା ବିନା ମୂଲ୍ୟରେ ପ୍ରସ୍ତୁତ ଶିକ୍ଷଣ ସମଗ୍ରୀଗୁଡିକୁ ଦେଖି ଖୁବ ଖୁସି ବ୍ୟକ୍ତ କରିବା ସହ ପିଲାଙ୍କୁ ଉପଯୁକ୍ତ ବାତାବରଣ ଯୋଗାଇଲେ ଛାତ୍ରଛାତ୍ରୀମାନେ ଉତ୍କର୍ଷ ପ୍ରତିପାଦନ କରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।ଏଇ ଅବସରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପିତାମାତା ଓ ଅଭିଭାବକଙ୍କୁ ଉଦବୋଧନ ପୂର୍ବକ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ଅବଗତ କରାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ ଜାକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ମହୋତ୍ସବ ଆଡିନ ୨୦୨୩ ରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ନିଜର ଅନୁଭବକୁ ବାଣ୍ଟି ଥିଲେ । ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏଭଳି ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି ଭାବେ ପିତାମହଲ ସରପଞ୍ଚ ଟୁଟୁ ତାଡିଙ୍ଗୀ, ସମିତିସଭ୍ୟ ବବି ତାଡିଙ୍ଗି , ନାଏବ ସରପଞ୍ଚ ଶର୍ମିଳା ପାଲକା ୱାର୍ଡ ସଦସ୍ୟ ବାଗୀ ହିମିରିକା , ମହିଳା ସ୍ବାସ୍ଥ୍ୟକର୍ମୀ ବିନୋଦିନି ନିମାଲା ପ୍ରମୁଖ ଯୋଗଦେଇ ସରକାରୀ ସୁବିଧ୍ୟା ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ପିଲାଙ୍କ ଶିକ୍ଷା, ସ୍ଵାସ୍ଥ୍ୟ ଓ ଶିଶୁ ସୁରକ୍ଷା ଦିଗରେ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଆଲୋକପାତ କରିଥିଲେ ।

ଏଇ ଅବସରରେ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ନୃତ୍ୟଗୀତ, ସଙ୍ଗୀତ, ବତ୍କୃତା, ପପେଟ ସୋ, ନାଟକ ଇତ୍ୟାଦି ଜରିଆରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ବାର୍ଷିକ କ୍ରୀଡ଼ାରେ ସଫଳ ପ୍ରତିଯୋଗୀମାନଙ୍କୁ ଏଇ ଅବସରରେ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷୟତ୍ରୀ ସୁଦଷ୍ଣା ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଚିଣ୍ଟୁ କାଡ୍ରାକା, ଅଙ୍କିତା ଗାଣ୍ଟା, ସାଗର ତାଡିଙ୍ଗି, ଇନ୍ଦୁ କଣ୍ଡାଗରୀ, ମଣ୍ଟୁ କାଡ୍ରାକା ଓ ଦୀପିକା କେଣ୍ଡରୁକା ପ୍ରମୁଖ ସଭା ମଞ୍ଚ ଓ ସାଂସ୍କୃତିକ ଆସରକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

Exit mobile version