ଆଦିବାସୀ ମେଳା ୨୦୨୩ ଆଦିବାସୀ ମେଳାରେ ଜନଜାତି ଗ୍ରାମ

୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆଦିବାସୀ ମେଳା- ୨୦୨୩ ଆରମ୍ଭ ହୋଇଛି । ୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାର ଆଜି ଚତୁର୍ଥ ଦିବସ । ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳରେ ରହିଥିବା ଗ୍ରାମଗୁଡ଼ିକର ଅବିକଳ ରୂପନେଇ ମେଳା ପରିସରରେ ପ୍ରାଚୀନ ଜନଜାତି ଦୁନିଆର ୧୦ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ଘରର ମଡେଲ ପ୍ରଦର୍ଶିତ ହୋଇଛି । ଏଥିରେ ପରମ୍ପରା ସହିତ ପ୍ରଗତିର ଝଲକ ଦେଖିବାକୁ ମିଳୁଛି । ଏ ମଧ୍ୟରେ ନୂଆପଡ଼ା ଜିଲ୍ଲା ଚୁକୁଟିଆ ଭୁଂଜିଆଙ୍କ ଘର ପାରମ୍ପରିକ ସାଜସଜ୍ଜାରେ ବିକାଶର ବାର୍ତ୍ତା ବଖାଣୁଛି । ଏମାନଙ୍କ ଲାଲ ବଙ୍ଗଳା କେବଳ ସଂସ୍କୃତି ଦୃଷ୍ଟିରୁ ମହାନ୍‌ ନୁହେଁ ବରଂ ଏମାନଙ୍କ ରକ୍ଷଣଶୀଳତାକୁ ବୁଝାଉଛି । ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳସ୍ଥ କୁଟିଆ କନ୍ଧ ଘର ଓ ବେଲଘରଙ୍କ କୁଟିଆ କନ୍ଧ ଘର ଭିତରେ ନିର୍ମାଣ ଗତ ସାମଞ୍ଜସ୍ୟ ଥିଲେ ମଧ୍ୟ ସୌନ୍ଦର୍ଯ୍ୟାନୁଭବରେ ବେଶ୍‌ ପାର୍ଥକ୍ୟ ଅଞ୍ଚଳ ଭେଦରେ ସାଂସ୍କୃତିକ ବିବିଧତାର ସୂଚନା ଦେଉଛି । ସେହିପରି ଗଜପତି ଜିଲ୍ଲା ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ସଉରା ଓ ଲାଞ୍ଜିଆ ସଉରା ଘର ନିର୍ମାଣଶୈଳୀରେ ସମାନତା ଥିଲେ ମଧ୍ୟ ଇଡ଼ିତାଲ ଚିତ୍ରର ବିବିଧ ବୈଚିତ୍ର୍ୟ ସ୍ୱତନ୍ତ୍ର ଅନୁଭବ ଆଣିଦେଉଛି ।ଡଙ୍ଗରିଆ କନ୍ଧମାନଙ୍କର ନିଜସ୍ୱ ଶୈଳୀ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିଥିବାବେଳେ ପାହାଡ଼ି ଖଡ଼ିଆମାନଙ୍କର ଗୃହ ନିର୍ମାଣ ବେଶ୍‌ ସୁନ୍ଦର ହୋଇଛି । ସେହିପରି ବଣ୍ଡାମାନଙ୍କର ମଧ୍ୟ ଘର ପରମ୍ପରା ସହିତ ପ୍ରଗତି ସୂଚନା ଦେଉଛି । ସହରୀ ମଣିଷଙ୍କ ପାଇଁ ଏହା ସଂସ୍କୃତିର ସନ୍ଧାନ ହୋଇଥିବାବେଳେ ଜଣେ ଗବେଷକ ପାଇଁ ଏହା କିଛିଟା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଆଦିବାସୀ ମେଳାରେ ପ୍ରଦର୍ଶିତ ପ୍ରାଚୀନ ଜନଜାତିଙ୍କ ଗ୍ରାମ ଦର୍ଶକମାନଙ୍କ ନିମନ୍ତେ ବେଶ୍‌ ଆକର୍ଷଣୀୟ ହୋଇଛି ।ଆଜି ସନ୍ଧ୍ୟାରେ ଜନଜାତିଙ୍କ ଦ୍ୱାରା ପରିବେଷିତ କୋୟା ନୃତ୍ୟ, ଗଦବା ନୃତ୍ୟ, ଭୂମିଆ ନୃତ୍ୟ, କିନ୍ଦରୀ ନୃତ୍ୟ, ଲାଞ୍ଜିଆ ସଉରା ନୃତ୍ୟ, ଢେମ୍‌ସା ନୃତ୍ୟ ଓ ଚାଙ୍ଗୁ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଛି । ଆଦିବାସୀ ମେଳା ପ୍ରତ୍ୟହ ୨.୩୦ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ମେଳା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ା

Exit mobile version